ଭୁବନେଶ୍ଵର: ସାର ସମସ୍ୟାର ଅନ୍ତ କେବେ ? ଚାଷୀଙ୍କୁ ସାର ମିଳୁନଥିବା ଖବର ବାରମ୍ବାର ସାମ୍ନାକୁ ଆସୁଥିଲେ ମଧ୍ୟ ଏହାକୁ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । କେଉଁଠି ସାର ନପାଇ ଚାଷୀ ନିରାଶ ହେଉଛନ୍ତି ତ ଆଉ କେଉଁଠି ବସ୍ତାଏ ସାର ପାଇଁ ଚାଷୀଙ୍କୁ ଦିନ ତମାମ ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ଆଉ କେଉଁଠି ବାହାର ଦଲାଲଙ୍କ ଠାରୁ ନକଲି ସାର କିଣି କ୍ଷତିରେ ପଡ଼ୁଛନ୍ତି ଚାଷୀ । ସାର ଅଭାବ ଓ ଚାଷୀ ହନ୍ତସନ୍ତକୁ ନେଇ ରାଜନୈତିକ ବୟାନ ବାଜି ମଧ୍ୟ ବଢ଼ିବାରେ ଲାଗିଛି । ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଦ୍ବାହି ଦେଉଛି ବିଜେପି । ଏସବୁ ଭିତରେ କିନ୍ତୁ ଚାଷୀଙ୍କ ସାର ସମସ୍ୟାର ସମାଧାନ କେବେ ଆଉ କିଭଳି ହେବ ତାର ସିଧା ଉତ୍ତର କାହା ପାଖରେ ନାହିଁ ।

ରାଜ୍ୟରେ ଥମୁନି ସାର ଟେନସନ୍ । ସାର ମିଳୁନଥିବାରୁ ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ବିଲରେ ରୁଆ, ପୋତା କାମ ସରିଲାଣି । ଏବେ ଧାନଚାଷ ପାଇଁ ସାର ନିହାତି ଦରକାର । ହେଲେ ଚାଷୀକୁ ମିଳୁନି ସାର । । ଗଞ୍ଜାମ ଜିଲ୍ଲା ଆସ୍କା ବହୁମୁଖୀ ସମବାୟ ସମିତି ଆଗରେ ଲାଗିଛି ଚାଷୀଙ୍କ ଲମ୍ବା ଲାଇନ୍ । ସାର ବସ୍ତାଏ ପାଇଁ କାମ ଧନ୍ଦା ଛାଡ଼ି ଏମିତି ଦିନ ତମାମ ଧାଡ଼ିରେ ଠିଆ ହେଉଛନ୍ତି ଚାଷୀ । ପୁଣି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ମଧ୍ୟ ଏମିତି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏଠି ଚାଷୀ ସାର ପାଇଁ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ପଛେ କେବେ ସାର ମିଳିବ ତାର ସଠିକ୍ ଉତ୍ତର କାହା ପାଖରେ ନାହିଁ ।

ଏସବୁ ଭିତରେ ବିଭିନ୍ନ ସ୍ଥାନରେ ମାତିଛନ୍ତି ସାର କଳାବଜାରୀ ଓ ନକଲି ସାର ବିକ୍ରି କରୁଥିବା ଦଲାଲ । ଯେଉଁମାନେ କି ଚାଷୀଙ୍କୁ ସାର ମିଳୁନଥିବା ସୁଯୋଗ ନେଇ  ଗାଁ ଗାଁରେ ଗାଡ଼ିରେ ନକଲି ସାର ବସ୍ତା ଧରି ବୁଲୁଛନ୍ତି। ଆଉ ସେମାନଙ୍କ ଠାରୁ ସାର କିଣି ଠକାମୀର ଶିକାର ହେଉଛନ୍ତି ଚାଷୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ କେମିତି ବସ୍ତା ବସ୍ତା ନକଲି ସାର କିଛି ହରଡ଼ଘଣାରେ ପଡ଼ିଛନ୍ତି ଚାଷୀ । ବସ୍ତା ଭିତରୁ ସାର ବଦଳରେ ବାହାରୁଛି କେବଳ ମାଟି।

ଗୋଟେପଟେ ସାର ପାଇଁ ଚାଷୀ ଡହଳ ବିକଳ ହେଉଥିବା ବେଳେ ଅନ୍ୟପଟେ ସାର ସଂକଟକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ବିଜେଡି କହିଛି ବିଗତ ଦିନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା । ମାର୍କେଟ୍, ସରକାର ଓ କୃଷି ବିଭାଗ ସମନ୍ବୟରେ ସାର ଦିଆଯାଏ । ଏବେ ସାରକୁ ନେଇ କୃଷି ବିଭାଗ ଓ ସମବାୟ ବିଭାଗ ଭିତରେ ଲଢ଼େଇ ଚାଲିଛି । ବିଜେପି କହୁଛି ପର୍ଯ୍ୟାପ୍ତ ପରିମାଣରେ ସାର ଅଛି । ଯଦି ସାର ଅଛି ତାହେଲେ ଚାଷୀ କାହିଁକି ସାର ନପାଇ ରାସ୍ତାକୁ ଓହ୍ଲାଉଛନ୍ତି । ଆଗକୁ ଚାଷୀଙ୍କ ପାଇଁ ବିଜେଡି ଆନ୍ଦୋଳନ କରିବ ବୋଲି କହିଛି ।

ସେହିଭଳି ସରକାରଙ୍କୁ ସାରର ହିସାବ ମାଗିଛନ୍ତି  ପିସିସି ସଭାପତି  ଭକ୍ତ ଚରଣ ଦାସ । ସେ କହିଛନ୍ତି ଯଦି ଚାଷୀ ପାଉନାହାନ୍ତି ତାହେଲେ ସାର କୁଆଡ଼େ ଯାଉଛି ତାର ହିସାବ ଦିଅନ୍ତୁ ସରକାର । ସେପଟେ ବିଜେପିର ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ କହିଛନ୍ତି, ଯେଉଁମାନେ ବିଜେଡି ସରକାର ସମୟରେ ସାର କଳାବଜାରୀ କରୁଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସରକାର ଯତ୍ନବାନ ଅଛନ୍ତି, ଚାଷୀଙ୍କ ପାଇଁ ସାରର ଅଭାବ ରହିବ ନାହିଁ । ଦିନେ ଦୁଇ ଦିନ ଭିତରେ ସାର ଯୋଗାଣ ସ୍ବାଭାବିକ ହୋଇଯିବ ।

ସାର କଳାବଜାରୀକୁ ନେଇ ୬୨ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି । ୩୦ ଦୋକାନରେ ସାର ବିକ୍ରି ବନ୍ଦ କପରାଯାଇଛି । ୧୨୦୨ ଖୁଚୁରା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି । ନାନୋ ସାର ଟ୍ୟାଗିଂ ନକରିବାକୁ ଇଫକୋକୁ ତାଗିଦ୍ କରାଯାଇଛି । ଆସନ୍ତା ଦୁଇ ଦିନ ଭିତରେ ପାକ୍ସ ଓ ଲ୍ୟାମ୍ପସ୍ରେ ୧୧ହଜାର ୬୯୨ମେଟ୍ରିକ ଟନ୍ ୟୁରିଆ ପହଞ୍ଚିବ ବୋଲି ସରକାର କହିଛନ୍ତି ।